Lahadi (waves)

 Lahadi (Waves)

ମନର ସମୁଦ୍ର କୂଳେ
ମୁ କାହିଁ ଲୁଚକାଳି ଖେଳେ?

ଭାବେ ଭଲ ଲହଡି ଏଇଟା
ଖରାପ ସେଇଟା
ଏପରି ବାଛି ବାଛି
କିଛି କିଛି
ଭଲ ଲହଡିକୁ ଧରିବା, ସଞ୍ଚିବା
ଖରାପ ଠୁଁ ପୁଣି ବର୍ତୀବା, ବଞ୍ଚିବା
ଭଲ କୁ କୁଣ୍ଢେଇବା
ଲୋଭରେ ମୁଣ୍ଡେଇବା
ଭଲ ସହ ଗେଲ ହେବା
ଖରାପ କୁ ଠେଲି ଦେବା

ଲହଡି ଯାଉଥିବ, ଆସୁଥିବ
ହାତକୁ ପାଉଥିବ, ହାତରୁ ଖସୁଥିବ
ଲହଡି ତ ରହିବନି
ରଖି ବି ହେବନି

ଗୋଟେ କ୍ଷଣେ ତୃପ୍ତି
ଗୋଟେ କ୍ଷଣେ ଲୁପ୍ତି
ଗୋଟେ କ୍ଷଣେ କଷ୍ଟ
ଗୋଟେ କ୍ଷଣେ ନଷ୍ଟ

ଲହଡି ପଛେ ଭାଗି ଭାଗି ବଳ ସରି ଯାଏ
ଲହଡି ଠାରୁ ଭାଗି ଭାଗି ମୁ ହାରି ଯାଏ
ଲହଡ଼ିର ମାୟା ଚକ୍ରରେ ଖାଲି ଛନ୍ଦି ହେବ
ସିନା, ଲହଡିକୁ କେବେ ବାନ୍ଧି ହେବ?

ଏଇ ବ୍ୟର୍ଥ ନିରର୍ଥ କାର୍ଯ୍ୟକ୍ରମକୁ ରଦ୍ଧ କରି
ଲହଡି ସହ ନା ଯୁଦ୍ଧ କରି ନ ତାକୁ ବଦ୍ଧ କରି
କ୍ଲାନ୍ତ, ଶାନ୍ତ, ବସି ଯାଏ ମୁ ବାଲି ଉପରେ
କିଛି କରେନି, ବସି ଥାଏ ଖାଲି ଉପରେ
ଲହଡିଟେ ଆସେ ଦାନ୍ତ ହଲେଇ ହଲେଇ
ପିଟି ହୁଏ, ଫେରି ଯାଏ ପଳେଇ
ସୁଲସୁଲିଆ ଲାଗେ ତା'ର ଦୁଗ୍ଧ ଫେଣକାନ୍ତି ସ୍ପର୍ଶ
ପୋତା ପାଦ ଉପରେ ଧାରର ଚୁମ୍ବକୀୟ ଆକର୍ଷ
ଭିଜି ଯାଏ ଦେହ, ଲୁଗା, ଜୋତା, ମୋଜା, ଚଡି
ଗୋଟେ ପରେ ଗୋଟେ ପିଟିହୁଏ ଲହଡି

ମୋ ପାଖ ଦେଇ ମୋ ଉପରେ ବଢେ
ନା ସେ ଜିତେ ନା ମୁ ଲଢ଼େ
କେତେବେଳେ ସେ ମୋ କୋଳରେ, ହସ୍ତରେ
ମସ୍ତରେ
କେତେବେଳେ ମୁ ତା କୋଳରେ, ଗସ୍ତରେ
ଉଦୟ, ଅସ୍ତରେ
କେତେବଳେ ସେ ମୋତେ ଉଜାଡ଼ି ଦିଏ
କେତେବେଳେ ସଜାଡି ଦିଏ

ମୁ ତା' ବାଟେ
କିନ୍ତୁ ସେ ମୋତେ କାଟେ
ନା
"ଆ...!"

ଲହଡି ଆସେ
ମୁ ଲହଡ଼ିରେ ଭାସେ
ମୁ ଲହଡ଼ି ଉପରେ ଉଡେ
ମୁ ଲହଡ଼ି ଭିତରେ ବୁଡେ
ସବୁ ମିଳେ, ପୁଣି ସବୁ ହଜେ
ଆପେ ଆପେ ନିଜେ ନିଜେ...

ଲହଡି ଉପରେ କାହାର ଜୋର?
ଲହଡି କଣ ମୋର?

ଏପରି ବର୍ଷ ବର୍ଷ
ନା କଷ୍ଟ, ନା ହର୍ଷ
ସେଇ ବାଲିରେ
ଆଜିରେ, ଆସନ୍ତା କାଲିରେ
ମୁ ରହି ଥିବି ପଡି
ଆସୁ, ଯେତେ ଆସୁ 'ଭାବ' ରୂପ ଲହଡି

(Inspired from Sapiens A Brief History of Humankind by Yuval Noah Harari)

Comments

Popular posts from this blog

ମଳୟ ପବନ (Malaya Pabana)

IT'S YOUR DEPARTURE

तेरे हिज्र में