Waves (Odia)
ଲହଡି
ଲହଡି ପଛରେ ମୁଁ ଧାଉଁଛି
ବାହୁଡ଼ି ପଛକୁ ସେ ଯାଉଛି
ମନର ଭାବ କୂଳେ ଲହଡି କେତେ ମିଳେ
ଲହଡି ମୁଁ ଆଞ୍ଜୁଳେ ଆଞ୍ଜୁଳେ ଢାଳେ କୋଳେ
ଏମିତି କିଛି କିଛି
ଲହଡ଼ି ବାଛି ବାଛି
ସାଇତି ସଂଚି
ନହେଲେ ବର୍ତ୍ତି ବଂଚି
ଲହଡି କୁଣ୍ଢେଇକି ମୁଁ
ଲୋଭରେ ମୁଣ୍ଡେଇକି ମୁଁ
ଲାଗେ ବି ଗେଲି
ଲାଗିଲେ ଦିଏ ଠେଲି
ଲହଡି ପଛରେ ମୁଁ ଧାଉଁଛି
ବାହୁଡ଼ି ପଛକୁ ସେ ଯାଉଛି
ଲହଡି ରହିବନି ରଖି ବି ତ ହେବନି
ପଳେଇ ଯିବ ହିଁ ସେ ପାଖକୁ ବି ନେବ ନି
କ୍ଷଣକେ କରି ତୃପ୍ତ
କ୍ଷଣକେ ହୁଏ ଲୁପ୍ତ
କ୍ଷଣକ କଷ୍ଟ
କ୍ଷଣକେ ହୁଏ ନଷ୍ଟ
ଲହଡି ପଛରେ ମୁଁ ଧାଉଁଛି
ବାହୁଡ଼ି ପଛକୁ ସେ ଯାଉଛି...
****
ଗୋଡେଇ ଗୋଡେଇ ଲହଡ଼ି କୁ ବଳ ଯାଏ ମୋ ସରି
ଦୌଡ଼ି ଦୌଡ଼ି ଲହଡ଼ି ଠୁଁ ବସି ଯାଏ ମୁଁ ହାରି
ଲହଡ଼ିର ମାୟାଜାଲରେ ମୁଁ ଯାଇଛି ଛନ୍ଦି ହେଇ
ସିନା, ଲହଡିକୁ ପୋଟଳି ରେ ପାରୁନି ବାନ୍ଧି ନେଇ
ବ୍ୟର୍ଥ ନିରର୍ଥ କାର୍ଯ୍ୟକ୍ରମ କର ରଦ୍ଦ
ଲହଡି କୁ ଯୁଦ୍ଧ ରେ କରି ହେବନି ବଦ୍ଧ
କ୍ଲାନ୍ତ, ମୁଁ ଶାନ୍ତ, ବସିଛି ବାଲି ଉପରେ
କରୁନି କିଛି ମୁଁ, ବସିଛି ଖାଲି ଉପରେ
ହସି ହସି ଲହଡି ଆସେ ମୋ ଆଡେ ବଢି
ଭିତରେ ତାର ବୁଡି ଉପରେ ତାର ଉଡି
ଚୁମ୍ବନ ଦିଏ ଫେଣ
ଚୁମ୍ବକୀୟ ଆକର୍ଷଣ
ରୋମାଂଚିତ ବି
କରେ ସେ ବଞ୍ଚିତ ବି
ଲହଡି ଉପରେ ଜୋର?
ଲହଡି କେବେ ବି ମୋର?
ମିଳେ ହଜେ
ଆପେ ଆପେ ନିଜେ ନିଜେ...
ଲହଡି ପଛରେ ମୁଁ ଧାଉଁଛି
ବାହୁଡ଼ି ପଛକୁ ସେ ଯାଉଛି
ଲହଡି ପଛରେ ମୁଁ ଧାଉଁଛି
ବାହୁଡ଼ି ପଛକୁ ସେ ଯାଉଛି...
(Inspired from Sapiens A Brief History of Humankind by Yuval Noah Harari)
Comments
Post a Comment